କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର,ଗରିବ ଚାଷୀଙ୍କ ଠାରୁ ନୁହେଁ : ନିରଞ୍ଜନ

0

ଭୁବନେଶ୍ୱର : ସାରା ଓଡିଶାର ଲୋକେ କରୋନା ମାହାମାରି ନେଇ ଚିନ୍ତାଗ୍ରସ୍ତ।ଦିନମଜୁରିଆ,ଚାଷୀ,ବେକାର ଯୁବକ,ପରିବା ବିକାଳୀ​ ଓ ଉଠାଦୋକାନୀ ଙ୍କ ସମେତ ପ୍ରବାସୀ ଓଡ଼ିଆ ଶ୍ରମିକ ଆଜି ରୋଜଗାର ବିନା ମୁଣ୍ଡରେ ହାତଦେଇ ବସିଛନ୍ତି।ନିଜର ପରିବାର ସଦସ୍ୟ ମାନଙ୍କୁ ଦି ଓଳି ଦାନା ଯୋଗେଇବା ସେମାନଙ୍କ ପାଇଁ ସମସ୍ୟା ହୋଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଟଡାଉନ ଓ ଲକଡାଉନ ଆଦେଶକୁ ଦୀର୍ଘଦିନ ଧରି ମାନିବା ଫଳରେ ଲୋକେ ନିଜ ନିଜର ରୋଜଗାର ହରାଇ ବସିଛନ୍ତି।କିନ୍ତୁ ସରକାରୀ ବାବୁମାନେ କୋଭିଡ ପରିଚାଳନା ନେଇ ଅନେକ ପ୍ରଚାର କରୁଛନ୍ତି,ବାହାବା ନେଉଛନ୍ତି । ରାଜ୍ୟର କେବିକେ ଅଞ୍ଚଳରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା କୁ ଗୁରୁତ୍ବ ନଦେଇ ସେଠାରୁ ଡାକ୍ତର ମାନଙ୍କୁ ପ୍ରତ୍ୟାହାର କରି ଆଣିବା ପରିତାପ ଓ କ୍ଷୋଭ ର ବିଷୟ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି ।
​ ​ ​ ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ସରକାରଙ୍କ ଠାରୁ କୌଣସି ସହାୟତା ନପାଇବା ଫଳରେ ନିରୁପାୟ ହୋଇ ପୁନଶ୍ଚ ଓଡିଶାରୁ ଫେରିଯିବାକୁ ବସିଲେନି । ଚାଷୀଙ୍କ ଯଥା ଆଜି ଯାଏ ସରକାର ବୁଝିଲେ ନାହିଁ ଫଳରେ ଚାଷ ଠପ ହୋଇଯାଇଛି । ଛୋଟ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାର ସମେତ ବେକାର ଯୁବକ ଯୁବତୀ ମାନଙ୍କୁ ମାସିକ ୭ ହଜାର ପାଞ୍ଚସହ ଲେଖାଏଁ​ ୬ ମାସ ପର୍ଯ୍ୟନ୍ତ ଦେବାକୁ କଂଗ୍ରେସ ଦାବି କରିଥିଲା, ତାହା ମଧ୍ୟ ସରକାର ଶୁଣିଲେ ନାହିଁ । ୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ​ ଦିଆଯାଇଥିବା ଟଙ୍କା​ କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ​ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ । ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା​ ଆବଶ୍ୟକ । ବେରୋଜଗାର ଘରେ ଖାଇବା ପାଇଁ ନାହିଁ,ସେମାନେ କାଳିଆ ଟଙ୍କା ଫେରାଇବେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ​ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା,କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି ତଥାପି ସରକାର ଚେତୁ ନାହାନ୍ତି । ଭୁବନେଶ୍ୱରରେ ଯାହା ନିଷ୍ପତି ହେଉଛି ସଚିବାଳୟରେ ତାହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ରାଜ୍ୟର ଗରିବ ଜନସାଧାରଣ ଧୀରେ ଧୀରେ ଅନାହାର ଆଡକୁ ଗତି କରୁଥିବା ପରିଲିଖିତ ହେଉଛି । ଏବେ ବି ସମୟ ଅଛି ,ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ରାଜ୍ୟବାସୀଙ୍କର​ ନା ରହିବ ଜୀବନ ନା ଜୀବିକା ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More