କଂଗ୍ରେସ ହଟଚମଟ ପଛର ଅଦୃଶ୍ୟ ଶକ୍ତି!

0

ରାଜ୍ୟ କଂଗ୍ରେସରେ ହଟଚମକ  । ମୁହାମୁହିଁ ନେତାଏ  । ନେତୃତ୍ୱ ପରିବର୍ତ୍ତନ କୁ ନେଇ ଦଳ ଏବେ ଦୁଇଫାଳ  । ମହାନଦୀର ମହାପ୍ରସଙ୍ଗକୁ ନେଇ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି । ଡେରା ପକାଇବାର ଉଦେ୍ଦଶ୍ୟ ହେଉଛି ନେତୃତ୍ୱ ପରିବର୍ତ୍ତନର ସ୍ୱର । ବିଧାୟକ ଦଳ ଚାହୁଁନାହିଁ  ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରୁହନ୍ତୁ । ପ୍ରସାଦଙ୍କୁ ହଟାଇବା ପାଇଁ ବିଧାୟକମାନେ ଦୃଢ ନିଷ୍ପତ୍ତି ନେଇଛନ୍ତି । ଖାସ୍ ସେଥିପାଇଁ ଦିଲ୍ଲୀ ଦରବାରରେ ଦଳର ହାଇକମାଣ୍ଡ୍ ରାହୁଲ୍ ଓ ସୋନିଆଙ୍କୁ ଭେଟି ଏ ନେତୃତ୍ୱ ପରିବର୍ତ୍ତନର ପ୍ରସ୍ତାବ ଦେଇଛନ୍ତି । ଦୁଇଦୁଇ ଥର ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାହୁଲ ଗାନ୍ଧୀଙ୍କୁ ଭେଟି ଏ ପ୍ରସଙ୍ଗ ଉଠାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ପଞ୍ଚାୟତ ନିର୍ବାଚନୟକୁ ଦୃଷ୍ଟିରେ ରଖି ରାହୁଲ ନେତୃତ୍ୱ ପରିବର୍ତ୍ତନ ପ୍ରସ୍ତାବକୁ ଏଡ଼ାଇ ଦେଇଛନ୍ତି । କଂଗ୍ରେସର ଏପରି ସଙ୍କଟ ସମୟରେ ଚିନ୍ତାରେ ରହିଛନ୍ତି ହାଇକମାଣ୍ଡ୍ । ତେଣେ ରାହୁଲ୍ଙ୍କଠାରୁ ବିଧାୟକ ଦଳ ଆଲୋଚନା କରି ସନ୍ତୁଷ୍ଟ ହୋଇପାରିନଥିବାରୁ ଦଳର ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଭେଟିବା ଲାଗି ଦିଲ୍ଲୀ ଦରବାରରେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଧାୟକମାନେ ଡେରା ପକାଇଛନ୍ତି । ଗୋଟେପଟେ କଂଗ୍ରେସର ବିଧାୟକମାନେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ଲାଗି ଜୋର୍ ଦାର୍ ପ୍ରୟାସ ଜାରି ରଖିଥିବା ବେଳେ ରାହୁଲଙ୍କ ସମର୍ଥନ ରହିଛି ପ୍ରସାଦଙ୍କ ପଛରେ । ଏଭଳି ଘଡ଼ିସନ୍ଧି ସମୟରେ ସୋନିଆଙ୍କୁ ଭେଟିବାକୁ ଜିଦ୍ ଧରିଥିବା ବିଧାୟକମାନଙ୍କୁ ସୁପି୍ରମୋ ସୋନିଆ ଗାନ୍ଧୀ ଭେଟି କି ଆଶ୍ୱାସନା ଦେବେ ତା ଉପରେ ସମସ୍ତଙ୍କ ନଜର । ତେବେ କଂଗ୍ରେସର ହଠାତ୍ ଏପରି ହଟଚମଟ ପଛରେ କେଉଁ ଅଦୃଶ୍ୟ ଶକ୍ତି କାମ କରୁଛି ତାହାକୁ ନେଇ ରାଜନୈତୀକ ବିଶେଷଜ୍ଞମାନେ ନିଜର ମତ ପୋଷଣ କରିଛନ୍ତି । ରାଜନୈତୀଜ୍ଞ ବିଶେଷଜ୍ଞଙ୍କ ମତରେ ପ୍ରସାଦଙ୍କୁ ହଟାଇବା ପାଇଁ ପଟ୍ଟନାୟକ ଓ ବିଶ୍ୱାଳ ଗୋଷ୍ଠୀ ମଧ୍ୟରେ ବୁଝାମଣା ହୋଇ ନେତୃତ୍ୱ ପରିବର୍ତ୍ତନର ସ୍ୱର ଏକ ହୋଇଛି । ପ୍ରସାଦ ବହୁ ସମୟରେ ବିଶ୍ୱାଳ ଓ ପଟ୍ଟନାୟକ ଗୋଷ୍ଠୀଙ୍କୁ ଅଣଦେଖା କରିବା ଓ ସେ ଦେଇଥିବା ଅହଂ ମୁଁ ନୁହେଁ ଆମକୁ କାର୍ଯ୍ୟକାରୀ ନକରିବା ନେଇ ଅସନ୍ତୋଷ ଅଛନ୍ତି ଏହି ଦୁଇଗୋଷ୍ଠୀ । ଏପରି କି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ସାଂସଦ ରଞ୍ଜୀବ ବିଶ୍ୱାଳ ବର୍ତ୍ତମାନ ଦିଲ୍ଲୀରେ ଡେରା ପକାଇବା ଓ ତାଙ୍କ ବାସଭବନରେ ବିଧାୟକମାନେ ଏକଜୁଟ୍ ହୋଇ ଗୁପ୍ତ ବୈଠକ କରିବାକୁ ନେଇ ଏବେ ରାଜନୈତୀକ ମହଲରେ ସମୀକ୍ଷକମାନେ ବିଧାୟକଙ୍କ ପଛରେ ଏହି ଦୁଇଗୋଷ୍ଠୀ ଅଦୃଶ୍ୟ ଶକ୍ତି ଭାବେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ନବୀନଙ୍କୁ ହଟାଇବା ପାଇଁ ରାଜ୍ୟରେ ଏକ ନୂଆ ଆଞ୍ଚଳିକ ଦଳ ସୃଷ୍ଟି ହେଉଥିବା ଚର୍ଚ୍ଚା ଓ ସେନେଇ ଅଣ୍ଟା ଭିଡୁଥିବା ନେତାଏ ରାଜ୍ୟ କଂଗ୍ରେସର ଏହି ହଟଚମଟ ପଛରେ ଅଦୃଶ୍ୟ ଶକ୍ତି ଭାବରେ ଉଭା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More